ଜୟପୁର: ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ ଉତ୍ପାଦନ ଠପ୍ । ଅନ୍ଧାରରେ ଅନେକ ଗାଁ । ମାଛକୁଣ୍ଡ, ଆମ୍ବାପଡା ଭଳି ୨୦ରୁ ଉର୍ଦ୍ଧ ଗାଁ ଅନ୍ଧାରରେ ରହିଛି । ଗତକାଲି ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ୬ଟି ଟର୍ବାଇନରୁ ୨ଟି ଏକ ପ୍ରକାର ଅକାମୀ ହୋଇ ପଡ଼ିଥିବା ବେଳେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି । ବିଦ୍ୟୁତ ଉତ୍ପାଦନ ପାଇଁ ସମସ୍ତ ପ୍ରୟାସ କରାଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମାଛକୁଣ୍ଡ ଅଗ୍ନିକାଣ୍ଡ ଘଟଣା ଏକ ପ୍ରକାର ଶକ୍ତି ସଂକଟ ପରିସ୍ଥିତି ସୃଷ୍ଟି କରିଛି । ସେପଟେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଆନ୍ଧ୍ର ସିଲେରୁରୁ ଆସିଥିବା ଏକ ଟିମ୍ ।
ପ୍ରକଳ୍ପ ମରାମତି କାର୍ଯ୍ୟ ସମ୍ପୂର୍ଣ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିବ ବୋଲି ଓଏଚପିସି ପକ୍ଷରୁ କୁହାଯାଇଛି । ସେପଟେ ଅନକାଡେଲିକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ବିଶାଖାପାଟଣାରୁ ବ୍ୟାକ୍ ଫିଡିଙ୍ଗ ବିଦ୍ୟୁତ ସଂଯୋଗ କରାଯାଇଛି l ଖୁବଶୀଘ୍ର ମାଛକୁଣ୍ଡ ଓ ଜଲାପୁଟକୁ ବିଦ୍ୟୁତ ସଂଯୋଗୀକରଣ କରାଯିବ । ପ୍ରକଳ୍ପ ମରାମତି କାର୍ଯ୍ୟ ସାରିବା ପର୍ଯ୍ୟନ୍ତ ପ୍ରକଳ୍ପ ଅନ୍ଧାରରେ ହିଁ ରହିବ ବୋଲି ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
