କଟକ : କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ବିରୋଧରେ ଚାଲିଥିବା ସିବିଆଇ ମାମଲାକୁ ଖାରଜ କରିବା ପାଇଁ ଦାୟର ଆବେଦନକୁ ଓଡ଼ିଶା ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ସିବିଆଇ ସ୍ୱତନ୍ତ୍ର ଅଦାଲତକୁ ବିଳମ୍ବ ନ କରି ଏବଂ ଅନାବଶ୍ୟକ ଭାବେ ବାରମ୍ବାର ତାରିଖ ନ ଦେଇ ଛଅ ମାସ ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାନ୍ୟବର ବିଚାରପତି ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।ପ୍ରଭାତ ବିଶ୍ୱାଳ ପୂର୍ବରୁ ମଧ୍ୟ ଏହି ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ସିବିଆଇ କୋର୍ଟକୁ ଏକ ବର୍ଷ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ସେହି ସମୟସୀମା ଅତିକ୍ରମ କରି ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାମଲାର ବିଚାର ଶେଷ ହୋଇନଥିଲା।ଏହାକୁ ଆଧାର କରି ପ୍ରଭାତ ବିଶ୍ୱାଳ ପୁଣିଥରେ ହାଇକୋର୍ଟରେ ସାନି ଆବେଦନ ଦାୟର କରି ଦର୍ଶାଇଥିଲେ ଯେ, ଦୀର୍ଘ ଦିନ ଧରି ମାମଲାର ଶୁଣାଣି ଶେଷ ହେଉ ନାହିଁ।
ତାଙ୍କ ବିରୋଧରେ ସେଭଳି ଠୋସ ପ୍ରମାଣ ନଥିବା କିମ୍ବା ତଦନ୍ତକାରୀ ସଂସ୍ଥା ଅଭିଯୋଗକୁ ପ୍ରମାଣିତ କରିବାରେ ଅସମର୍ଥ ବୋଲି ଏହା ସ୍ପଷ୍ଟ ହେଉଥିବା ସେ ଦର୍ଶାଇଥିଲେ। ତେଣୁ ବିଚାରାଧୀନ ମୂଳ ମାମଲାକୁ ରଦ୍ଦ କରାଯାଉ ବୋଲି ସେ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ତେବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି। ମାମଲା ଖାରଜ କରିବାକୁ ମନା କରିବା ସହ ସିବିଆଇ କୋର୍ଟରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଅନାବଶ୍ୟକ ବିଳମ୍ବ ଓ ବାରମ୍ବାର ତାରିଖ ପ୍ରଦାନକୁ ଏଡ଼ାଇ ଛଅ ମାସ ମଧ୍ୟରେ ଶୁଣାଣି ସମ୍ପୂର୍ଣ୍ଣ କରିବାକୁ ସିବିଆଇ ସ୍ୱତନ୍ତ୍ର ଅଦାଲତକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହ ପ୍ରଭାତ ବିଶ୍ୱାଳଙ୍କ ଦ୍ଵାରା ଦାୟର ହାଇକୋର୍ଟ ଆବେଦନର ପରିସମାପ୍ତି ଘଟିଛି।
