ଭୁବନେଶ୍ୱର : ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ । ଚାଷୀଙ୍କ ପାଇଁ ଆଶାର କିରଣ!। ଜୁନ୍ ମାସରେ ୪୫% ବର୍ଷା କମିଲା! ଏବେ ବଜ୍ରପାତ ଓ ପବନ ସହ ଫେରୁଛି ବର୍ଷା । ଏନେଇ ୱାର୍ଣ୍ଣିଂ ଜାରି କରିଛି IMD । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁର୍ବଳ ରହିବା ପରେ, ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାର ସଙ୍କେତ ମିଳିଛି। ଜୁନ୍ ମାସରେ ରାଜ୍ୟରେ ବର୍ଷାର ବଡ଼ ଧରଣର ନିଅଣ୍ଟ ଦେଖାଦେଇଥିବା ବେଳେ, ଏବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ବଜ୍ରପାତ ଏବଂ ଝଡ଼ବର୍ଷାର ସତର୍କ ସୂଚନା ଜାରି କରାଯାଇଛି ।
ଏଲ୍ ନିନୋ ପ୍ରଭାବ ଯୋଗୁଁ ଚଳିତ ବର୍ଷ ମୌସୁମୀ ପ୍ରବାହ ଦୁର୍ବଳ ରହିଥିଲା, ଯାହା ଖରିଫ ଚାଷ ଏବଂ ଧାନ ରୁଆ କାମ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଜୁନ୍ ୧ରୁ ୧୭ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକ ବର୍ଷା ୯୧.୪ ମିଲିମିଟର ବଦଳରେ ମାତ୍ର ୫୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ପ୍ରାୟ ୪୪ରୁ ୪୬ ପ୍ରତିଶତ ନିଅଣ୍ଟ ରହିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ଅଭାବ ସବୁଠାରୁ ଅଧିକ ୫୦%ରୁ ୮୫% ରହିଛି। ସେହିପରି ଉପକୂଳବର୍ତ୍ତୀ ପୁରୀ ଜିଲ୍ଲାରେ ମଧ୍ୟ ପ୍ରାୟ ୬୫% ବର୍ଷା କମ୍ ହୋଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁନ୍ ୨୩ ରୁ ୨୫ ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ଅଧିକ ଶକ୍ତିଶାଳୀ ହେବ। ପ୍ରଭାବରେ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବଢ଼ିବ। ଜୁନ୍ ୨୬ରୁ ଜୁଲାଇ ୨ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଗୁଳୁଗୁଳି ସହ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଜି ପାଇଁ ୩ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ, ବିଜୁଳି ଘଡ଼ଘଡ଼ି ଏବଂ ହାଲୁକାରୁ ମଧ୍ୟମ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସମୟରେ ଲୋକମାନଙ୍କୁ ବାହାରକୁ ନଯିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି।
