ଭୁବନେଶ୍ୱର : ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଦୁଇ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ନିଜର ଉପଲବ୍ଧି ବଖାଣିଛନ୍ତି ମୋହନ ମାଝି । ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଆଗାମୀ ଦିନରେ ନୂଆ ଯୋଜନା ବିଷୟରେ କହିଛନ୍ତି । ରାଜ୍ୟରେ ଶିକ୍ଷାକୁ ପ୍ରକୃତ ଅର୍ଥରେ ସାର୍ବଜନୀନ କରିବା ପାଇଁ କେଜି ରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରିବାକୁ ଘୋଷଣା କରାଯାଇଛି। ଏହାଦ୍ଵାରା ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରୀମାନେ ସର୍ବାଧିକ ଉପକୃତ ହେବେ। ସେହିପରି ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହି ନୂତନ ଯୋଜନା ଆରମ୍ଭ କରାଯାଇଛି।
ଏହାଦ୍ୱାରା NFSA ଓ SFSS ର ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମିଳିବ । ଯାହାଫଳରେ ଏଣିକି ଜଣେ ହିତାଧିକାରୀ ମୋଟ ୧୦ କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଏହାଦ୍ୱାରା ରାଜ୍ୟର ପ୍ରାୟ ୩.୨୮ କୋଟି ଲୋକ (୮୦% ଜନସଂଖ୍ୟା) ଉପକୃତ ହେବେ। ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ପ୍ରଥମ କ୍ୟାବିନେଟରେ ମଞ୍ଜୁର ହୋଇଥିବା ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ୨ ବର୍ଷରେ ୨୦,୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ଦିଆଯାଇଛି। ଏହା ସହ ୪ ଲକ୍ଷରୁ ଅଧିକ SHG କୁ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇ ୨୩ ଲକ୍ଷ ୫୦ ହଜାର ‘ଲକ୍ଷପତି ଦିଦି’ ସୃଷ୍ଟି କରାଯାଇଛି। ଚାଷୀଙ୍କୁ ‘ଅନ୍ନଦାତା’ର ସମ୍ମାନ ଦେଇ ସମୃଦ୍ଧ ଓଡିଶା ନୀତି ଅଧୀନରେ ରେକର୍ଡ ସଂଖ୍ୟକ ୧୮ ଲକ୍ଷ ୮୩ ହଜାର ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଛି।
କୃଷି ବିଦ୍ୟାନିଧି ଯୋଜନା ଏବଂ PACS/LAMPCS କୁ ‘ୱାନ୍-ଷ୍ଟପ୍ ଶପ୍’ କେନ୍ଦ୍ରରେ ପରିଣତ କରି ଚାଷୀଙ୍କୁ ସଶକ୍ତ କରାଯାଉଛି। ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି, ପିଇବା ପାଣି ଏବଂ ସବୁଦିନିଆ ସଡକ ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ‘ମିଶନ ପାୱାର’ ଗଠନ କରାଯାଇଛି। ୨୦୨୭ ଶେଷ ସୁଦ୍ଧା ଏହି ମିଶନ ଜରିଆରେ ସବୁ ଗାଁକୁ ଶତପ୍ରତିଶତ ବିକାଶ ଶରବ୍ୟ କରାଯିବ। ଜାତୀୟ ଶିକ୍ଷା ନୀତି (NEP 2020) କାର୍ଯ୍ୟକାରୀ କରିବା ସହ ପ୍ରତି ପଞ୍ଚାୟତରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨ ବର୍ଷରେ ୨୬,୬୧୫ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆଗାମୀ ୩ ବର୍ଷରେ ଆଉ ୪୫,୦୦୦ ଶିକ୍ଷକ ନିଯୁକ୍ତ ହେବେ।
