ବାରଙ୍ଗ : ବେଇଆନ ଭାବେ ବାଲି ଉତ୍ତୋଳନ କରୁଥିବା ବେଳେ ଚଢ଼ଉ । ୩୮ଟି ହାଇୱା ସମେତ ୩ ବାଲି ଉତ୍ତୋଳନ ମେସିନ ଜବତ । ବିଳମ୍ବିତ ରାତିରେ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୁର ବାଲିଘାଟରେ ଅତର୍କିତ ଚଢ଼ଉ ହୋଇଥିଲା । ସେତେବେଳେ ପ୍ରାୟ ୪୦ ହାଇୱା ବାଲି ଘାଟରେ ଥିଲା। ଚଢ଼ଉ ବେଳେ ବାଲି ଚାଲାଣକାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗାଡ଼ି ଚାଳକମାନେ ମଧ୍ୟ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ରାତି ତମାମ ପୋଲିସ ଫୋର୍ସ ଗାଡ଼ି ଗୁଡ଼ିକୁ ଘଟଣାସ୍ଥଳରୁ ଥାନାକୁ ଆଣିଥିଲେ। ଘଟଣାସ୍ଥଳରୁ ଗୋଟିଏ ଜେସିବି ମେସିନ ଓ ଦୁଇଟି ଏକ୍ସଜାଭେଟର ଜବତ ହୋଇଛି । ପୋଲିସ ସମୁଦାୟ ୩୮ଟି ହାଇୱା ସମେତ ୩ ଟି ବାଲି ଉତ୍ତୋଳନ ମେସିନ ଜବତ କରିଛି। ବାଲିଘାଟରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରେଡ୍ କରିଥିଲା ପୋଲିସ୍।
