ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀରେ ପୁଣି ଦୁଃଖଦ ଦୁର୍ଘଟଣା । ଅକାଳରେ ଚାଲିଗଲା ଆଉ ଦୁଇଟି ଜୀବନ । ସପ୍ତାହେ ବି ପୁରିନି ବରମୁଣ୍ଡା ଓଭରବ୍ରିଜ୍ ଦୁର୍ଘଟଣାକୁ । ଯେଉଁଠି ତିନି ତିନି ଜଣ ପ୍ରାଣ ହରାଇ ଥିଲେ । ଆଉ ଏବେ ଚନ୍ଦକା ଅଞ୍ଚଳରେ ଜୀବନ ଯାଇଛି ଦୁଇ ଜଣ ଇଞ୍ଜିନିୟରି ଛାତ୍ରଙ୍କର ।
ସାତ ଜଣ ସାଙ୍ଗ ଆଜି ଭୋର ସମୟରେ ଗୋଟିଏ ବୋଲେରୋରେ ବାହାରି ଥିଲେ ଯିବା ପାଇଁ l ଚନ୍ଦକା ଭୋଳା ଛକ ନିକଟରେ ହାଇୱା ଧକ୍କା ଦେଲା ସେମାନଙ୍କ ଗାଡିକୁ l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେହି ଗାଡ଼ି ଭିତରେ ଚାପି ହୋଇ ରହିଗଲେ ସମସ୍ତେ । ଟିକେ ଭଲ କରି ଦେଖନ୍ତୁ ଗାଡ଼ିର ଅବସ୍ଥା କେମିତି ହୋଇଛି । ଦେଖିଲେ ଛାତି ଥରି ଉଠୁଛି । …
ଏହି ଦୁର୍ଘଟଣାରେ ପାଞ୍ଚ ଜଣ ସାଙ୍ଗ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓମ୍ ପ୍ରକାଶ ସାହୁ ଓ ସମ୍ବିତ ବେହେରା ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ମୃତକ ଓମ ପ୍ରକାଶଙ୍କ ଘର ଭଦ୍ରକ ତିହିଡ଼ି l କମ୍ପ୍ୟୁଟର ସାଇନ୍ସ ପାଠ ସାରି ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ l ସବୁଠାରୁ ବଡ଼ କଥା ହେଲା ଅତି ଗରିବ ଘରର ପିଲା ହେଉଛନ୍ତି ଓମ ପ୍ରକାଶ l ଘରୋଇ ଅନୁଷ୍ଠାନରେ ଝାଡୁ ପୋଛା କରି ପୁଅକୁ ପାଠ ପଢ଼ାଉ ଥିଲେ ତାର ମାଆ l କେତେ ଆଶା ରଖିଥିଲେ ପୁଅ ଉପରେ । ଅନେକ ସ୍ବପ୍ନ ଦେଖିଥିଲେ ପୁଅକୁ ନେଇ ବାପା ମା’ ହେଲେ । ହେଲେ ସଡ଼କ ଦୁର୍ଘଟଣାଟା ଧୋଇଦେଲା ସବୁ କିଛି । ମାଟିରେ ମିଶାଇ ଦେଲା ଜୀବନର ସବୁ ଆଶା ଓ ସ୍ବପ୍ନକୁ । କଷ୍ଟ କରି ଏତେ ପାଠ ପଢାଇ ବଡ଼ କରିଥିବା ଭେଣ୍ଡିଆ ପୁଅକୁ ।
ଅନ୍ୟ ଜଣେ ହେଲେ ସମ୍ବିତ ବେହେରା । ଘର ସେହି ଭଦ୍ରକ ପିରହାଟରେ l ବାପା ମା’ ର ଗୋଟିଏ ବୋଲି ଗେଲ୍ହା ପୁଅ l କେତେ କଷ୍ଟ କରି ତାକୁ ପଠା ପଢାଇ ଥିଲେ l ତେବେ କ୍ଷଣିକରେ ଦୁନିଆ ଓଲଟ ପାଲଟ ହୋଇଗଲା । ସବୁଦିନ ପାଇଁ ଦୁରେଇ ଗଲା ପୁଅଟି ମା କୋଳରୁ l ଗଲା ଯେ ଆଉ ଫେରିବନି କେବେ ।
ରାଜକୁମାର ଭଳି ଚେହେରା ରଖିଥିବା ଦୁଇଟି ପିଲା ଆଜି ଆଉ ଦୁନିଆରେ ନାହାନ୍ତି । ଗତ ୯ ତାରଇଖ ଦିନ ବରମୁଣ୍ଡା ଓଭରବ୍ରିଜରେ ଘଟିଥିଲା ଦୁର୍ଘଟଣାରେ । ଏଥିରେ ଦୋଷ କରିଥିଲା ଟ୍ରକ୍ ଡ୍ରାଇଭର । ତାର ଭୁଲ ଯୋଗୁଁ ତିନିଟି ଜୀବନ ଅକାଳରେ ଚାଲି ଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ସାଙ୍ଗ ଥିଲେ ତାଙ୍କ ବାପା ମାଆଙ୍କର ଗୋଟିଏ ଲେଖାଏଁ ପୁଅ ।… ଏବେ ଚନ୍ଦକା ଦୁର୍ଘଟଣା ଆଉ ଦୁଇଟି ପରିବାରକୁ ଦେଇଛି ଜୀବନ ସାରା ଦୁଃଖ । ତେଣୁ ସମସ୍ତ ଗଡ଼ି ଚାଳକଙ୍କୁ ନେହୁରା ହୋଇ ଅନୁରୋଧ କରୁଛୁ ଗାଡି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ସେହିପରି ଯୁବପିଢ଼ି ମଧ୍ୟ ସତର୍କ ରୁହନ୍ତୁ । ନହେଲେ ଏମିତି ଅନେକ ପରିବାର ଉଜୁଡ଼ି ଚାଲିଥିବ ।
