ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି । ବାରହା ଶିକାର କରି ମାଂସ ଭାଗ ବଣ୍ଟା ବେଳେ ବନ ବିଭାଗ ଚଢ଼ାଉ କରିଛି । ୪୫ କେଜି ମାଂସ ସହ ୭ଜଣ ଶିକାରୀକୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବରପାଇ କୋମନା ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ କମକେଡା ଗାଁ ନିକଟସ୍ଥ ତଣ୍ଡୁଳ ଜଙ୍ଗଲରେ ଚଢ଼ାଉ କରିଥିଲା । ଦୁଇ ଗୋଟି ବାରହା ଶିକାର କରି ୪୫ କେଜି ମାଂସ ଭାଗ ବଣ୍ଟା କରୁଥିଲେ । ବନବିଭାଗ ପକ୍ଷରୁ ଚଢାଉ କରି ବାରହା ମାଂସ ସହ ୭ ଜଣ ଶିକାରୀଙ୍କୁ ଗିରଫ କରିଥିଲେ ।
ଗିରଫ ଶିକାରୀମାନେ ହେଲେ ସୁକଦେବ ପହରିଆ, ଇନ୍ଦ୍ରଜ୍ ପହରିଆ , ସୁରେଶ ପରାଭୁଏ, ସହଦେବ ପରାଭୁଏ, ଆରତ ପହରିଆ , ଲଲିନ୍ଦ୍ର ନାଏକ ଓ ଛଳକଟା ଶବର । ଏମାନଙ୍କ ପାଖରୁ ୫ ଗୋଟି ଧନୁ, ୨୧ଟି ଶର, ଦୁଇ ଗୋଟି ଟାଙ୍ଗିଆ, ସହ ଦୁଇ ଗୋଟି ବାରହାର ୪୫ କିଲୋ ଗ୍ରାମ ମାଂସ ଜବତ କରା ଯାଇଛି । ଆଜି ୭ଜଣ ଶିକାରୀଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସୂଚନା ଦେଇଛନ୍ତି ।
