ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆସନ୍ତା ୨୦ ତାରିଖ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପୀ ମହାପ୍ରଭୁଙ୍କର ବାହାର ଚନ୍ଦନ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ପୁରୀ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଚନ୍ଦନଯାତ୍ରାରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ପଞ୍ଚୁପାଣ୍ଡବ ଆସି ନନ୍ଦା ଭଦ୍ରା ଦୁଇଟି ଚାପ ଡଙ୍ଗା ରେ ଜଳକ୍ରୀଡା କରିବେ । ଏଥିପାଇଁ ନନ୍ଦା, ଭଦ୍ରା ଦୁଇଟି ଚାପ ଡଙ୍ଗାର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିପରି ଚନ୍ଦନ ଚକଡା଼ କୁ ଅତି ସୁନ୍ଦର ଭାବେ ଚିତ୍ରକର ଙ୍କ ଦ୍ବାରା ଚିତ୍ରିତ ମଧ୍ୟ କରାଯାଉଛି ।
ଅକ୍ଷୟ ତୃତୀୟା ଦିନ ମହାପ୍ରଭୁ ଶ୍ରୀମନ୍ଦିରରୁ ବିମାନରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଆସିବେ। ମହାପ୍ରଭୁଙ୍କ ଏହି ପବିତ୍ର ଚନ୍ଦନ ଯାତ୍ରା ଦେଖିବା ପାଇଁ ଭକ୍ତ ଓ ସେବାୟତ ମହଲରେ ଉତ୍ସାହ ଦେଖାଦେଇଛି। ସେପଟେ ରଥଖଳା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ସେହିପରି ରଥକାଠ ନିର୍ମାଣ କାର୍ଯ୍ୟର ଅନୁକୂଳ ପାଇଁ କମାର ସେବକଙ୍କ ଦ୍ବାରା କୁରାଢ଼ି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରଖାଯାଇଛି ।
ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନୋଟି ଧଉରା କାଠ ପୂଜାର୍ଚ୍ଚନା କରାଯିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମାନେ ପାରମ୍ପରିକ ବାରିସି, ମୁଗୁର ଏବଂ କୁରାଢି କାଠରେ ସ୍ପର୍ଶ କରାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ।
ଅକ୍ଷୟ ତୃତୀୟା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥ ନିର୍ମାଣ କାରୀ ସେବକ ମାନେ ହବିଷାନ୍ନ ଗ୍ରହଣ କରି ଅତ୍ୟନ୍ତ ନିଷ୍ଠାର ସହିତ ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ କରିବେ। ଏଥିପାଇଁ ରଥଖଳାରେ ଚାଳି ପ୍ରସ୍ତୁତ ହୋଇଥିବା ବେଳେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ମଧ୍ୟ ରଖାଯାଇଛି।
ପ୍ରଥମ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟ ବିଶ୍ଵକର୍ମା। ପରେ ପର୍ଯ୍ୟାୟକ୍ରମେ ରଥର ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯିବ। ସେପଟେ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଏବଂ ରଥଖଳା ନିକଟରେ ପୋଲିସ ବାହିନୀ ମୁତୟନ ରହିବେ। ପୁରୀ ଏସପି ପ୍ରତୀକ ସିଂ ଏବଂ ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ନରେନ୍ଦ୍ର ପୁଷ୍କରିଣୀ କୁ ଯାଇ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପିଙ୍କ ସହିତ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨୦ ଜଣ ଏଏସଆଇ ଓ ଏସଆଇଙ୍କ ସହିତ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ। ସିସିଟିଭି ନଜରରେ ସମଗ୍ର ଅଞ୍ଚଳ ରହିବ। ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କ ଉପରେ ବିଶେଷ ନଜର ରଖାଯିବ। ଆଣ୍ଟି ସବୋଟାଜ୍ ଚେକିଙ୍ଗ ବ୍ୟବସ୍ଥାକୁ ଜୋରଦାର କରାଯିବ ବୋଲି କହିଛନ୍ତି ପୁରୀ ଏସପି।
ଗତ ୨୦୨୪ ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣ ଘଟି ଲୋକଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଚଳିତ ବର୍ଷ ପୋଲିସ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଚଳିତ ବର୍ଷ ଚନ୍ଦନ ଯାତ୍ରା ଦେଖିବା ଲାଗି ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବା ନେଇ ଆକଳନ କରିଛି ଜିଲ୍ଲା ପ୍ରଶାସନ l
