ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସେହି ଗ୍ରାମର ଉପେନ୍ଦ୍ର ଦାସଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୩ ମସିହା ଅକ୍ଟୋବର ୧୭ ତାରିଖ ରାତି ୯ଟାରେ ବାଳକୃଷ୍ଣ ଗ୍ରାମର ଶେଷ ଦାସ ଓ ତାଙ୍କ ପତ୍ନୀ ସୁଶିଳା ଦାସଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ଚାଲିଥିଲା । ଏହାମଧ୍ୟରେ ସେହିଗ୍ରାମର ଉପେନ୍ଦ୍ର ଦାସ ମଝିରେ ପଶି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ କରିଥିଲା । ପାଟିତୁଣ୍ଡ ଚାଲିଥିବା ବେଳେ ଉପେନ୍ଦ୍ର ଦାସ ଉତ୍କ୍ଷୀପ୍ତ ହୋଇ ଶେଷ ଦାସ ଓ ତାଙ୍କରି ପୁଅକୁ ପିଟିପିଟି ଅଚେତ କରିଦେଇଥିଲା । ପତ୍ନୀ ସୁଶିଳା ପାଣିମାରି ସ୍ୱାମୀ ଶେଷ ଓ ପୁଅକୁ ଉଠାଇଥିଲା ।
ଏହାପରେ ଚେତା ଫେରି ଆସିଥିବା ଶେଷ ଦାସକୁ ଘରୁ ଟାଣିଆଣି ପୁଣି ଉପେନ୍ଦ୍ର ଏକ କାଠଫାଳରେ ଆକ୍ରମଣ କରି ଜୀବନରେ ମାରିଦେଇଥିଲା । ମୃତ ଶେଷଙ୍କ ପତ୍ନୀ ସୁଶିଳା ଦାସଙ୍କ ଅଭିଯୋଗ କ୍ରମେ ପୁରୁଷୋତମପୁର ଥାନା ପୋଲିସ ୧୬୫/୧୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଉପେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ମାନ୍ୟବର ଏଡିଜେ ପ୍ରଦୀପ କୁମାର ସାମଲ ୧୬ ଜଣଙ୍କ ସାକ୍ଷ୍ୟ, ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଉପେନ୍ଦ୍ର ଦାସକୁ ଆଜୀବନ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟରେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ମାନ୍ୟବର ବିଚାରପତି ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ନିହାର ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ପ୍ରଦୀପ କୁମାର ପାଢୀ ଓ ଗଙ୍ଗାଧର ପଣ୍ଡା ସହଯୋଗ କରିଥିଲେ ।
